କାହାଣୀ ଟି ଅନୁଶୀର୍ଷକ ରେ । ଗତ କିଛି ମାସ ଅବିନାଶ ଜୀବନର ସବୁ ଠାରୁ କଷ୍ଟଦାୟକ ସମୟ ଥିଲା । ପରିସ୍ଥିତିର ମାଡରେ ସେ ବ୍ୟସ୍ତ ଓ ବିବ୍ରତ ହୋଇ ଯାଇଥିଲା । କହିବ ବା କାହାକୁ , ପାଖରେ ବି କେହି ନାହାନ୍ତି । ପେଟ ପାଟଣା ପାଇଁ ଆସି ସୁଦୂର ଗୋଆରେ ଚାକିରି କରିଛି । ଏମିତି ସମୟରେ ହୁଏତ ବାପା କିଛି ବାଟ ଦେଖାଇ ପାରି ଥାନ୍ତେ । କିନ୍ତୁ ବାପା ବି ଏଇ ଛଅ ମାସ ତଳେ ମାଆଙ୍କ ଭାଷାରେ ଭଗବାନଙ୍କ ପାଖକୁ ଚାଲି ଗଲେ । ଘରର ବଡ ପୁଅ ବୋଲି ଘର ଓ ସାନ ଭାଇ ଭଉଣୀଙ୍କ ଦାୟିତ୍ବ ତାର । 'ଭଗବାନ ' ଏଇ ଶବ୍ଦ ଉପରୁ ଯେମିତି ତାର ସବୁ ଆସ୍ଥା ତୁଟି ଯାଇଥିଲା । ବଞ୍ଚିବାର ସବୁ ଇଛା ଉଦ୍ଦୀପନା ପରିସ୍ଥିତିର ଚୋରାବାଲିରେ ସମାଧିସ୍ଥ ହୋଇ ଯାଇଥିଲା । ଏମିତି ଦିନେ ବୁଲୁ ବୁଲୁ କାହିଁକି କେଜାଣି ସେ ଏକ ଚର୍ଚ ପାଖରେ ଅଟକି ଗଲା । ସାଙ୍ଗ ମାନଙ୍କ ପାଖରୁ ଶୁଣିଥିବା କନ୍ଫେସନ୍ ବକ୍ସ୍ କଥା ମନେ ପଡିଗଲା । କାଳେ ସେଠି ମନ କଥା ଖୋଲି କହିଲେ ମନ ହାଲକା ହୋଇ ଯାଏ ଓ ଜୀବନର କିଛି ଗୂଢ ପ୍ରଶ୍ନ ର ଉତ୍ତର ମିଳିଥାଏ । ପ୍ରଶ୍ନ ତ ତା ଛାତିରେ ଭରପୁର ଥିଲା । ନ ଚାହିଁ ମଧ୍ୟ ତାକୁ ଯେମିତି କେଉଁ ଏକ ଅଦୃଶ୍ୟ ଶକ୍ତି ଚର୍ଚ ଭିତରକୁ ଟାଣି ନେଉଥିଲା । ତା ମନରେ ଉଠୁଥିବା ପ୍ରଶ୍ନ କୁ ନେଇ ସେ ଚାଲି ଯାଇଥିଲା ଚର୍ଚ ଭିତରେ ଥିବା କନ୍ଫେସନ୍ ବକ୍ସ୍ କୁ । କିନ୍ତୁ କ'ଣ କହିବ, କେମିତି ଆରମ୍ଭ କରିବ କିଛି ବୁଝି ପାରୁ ନଥିଲା । କାଠ କାନ୍ଥ ଟିର ଆର ପାଖରେ ଥାଇ ମଧ୍ୟ ଫାଦର୍ ତାର ନୀରବତା କୁ ବୁଝି ଯାଇଥିଲେ । - ମାଇଁ ଚାଇଲ୍ଡ୍, ୟୁ ଆର ଇନ୍ ଗଡ୍ସ୍ ଆବୋଡ୍ । ସୋ, ଡୋଣ୍ଟ ଥିଙ୍କ୍, ଜଷ୍ଟ୍ ଟେଲ । - ଫାଦର୍, ମୋ କଥା କଣ Jesus ଶୁଣିବେ? - ୟେସ୍ ମାଇଁ ଡିଅର । ନିଶ୍ଚୟ ଶୁଣିବେ । ତାଙ୍କ ପାଖରେ ଭେଦଭାବ ନ ଥାଏ । ଆଉ ଗଡ୍ ତ ସମସ୍ତଙ୍କର । - ଫାଦର୍, ଏଇ କିଛି ମାସ ହେବ ମନ ବହୁତ ବିଚଳିତ, ରହୁଛି । ଜୀବନ ଉପରୁ ଆସ୍ଥା ଉଠି ଯାଇଛି । ଭଗବାନ ମୋ ସହ ଏପରି କାହିଁକି କରୁଛନ୍ତି? ନିଜ ପିଲାଙ୍କୁ କେହି କଣ କେବେ ଅସୁବିଧାରେ ପକାଏ? - ମାଇଁ ଚାଇଲ୍ଡ୍, ସତ କଥା ଯେ ଆମେ ସମସ୍ତେ ସେଇ ଗଡ୍ ଙ୍କର ସନ୍ତାନ । ସେ କାହାକୁ ଅସୁବିଧାରେ ପକାନ୍ତି ନାହିଁ । ଆଉ ଜୀବନ ଉପରୁ ଆସ୍ଥା ଉଠାଇ ନେଇ ମୃତ୍ୟୁ କୁ ଆପଣେଇ ନେବା ବିଲକୁଲ ବି ଯୁକ୍ତିଯୁକ୍ତ ନୁହେଁ । କାହିଁକି ନା, ଭଗବାନ ଯେତେବେଳେ ଜୀବନ ତିଆରି କଲେ, ସେତେବେଳେ ହିଁ ତିଆରି କରିଥିଲେ ମୃତ୍ୟୁ । ଏ ଦୁଇଟି ହେଉଛି ସଂସାର ର ସବୁଠାରୁ ବଡ଼ ସତ୍ୟ, ଯେମିତି ଆକାଶ ରେ ସୂର୍ଯ୍ୟ ଚନ୍ଦ୍ର ।