ଆହୂତି! — % & ଦୁଃଖ ଲେଖିବି? ହଁ ଭାବିଛି, ହେଲେ କାହା ଦୁଃଖ ଲେଖିବି। ଦୁଃଖ କେମିତିକା ସଜୀବ ନିର୍ଜୀବ, ମାୟା ମରିଚୀକା, ଅନୁଭବ ଆସକ୍ତି କିଛି ଜଣା ନାହିଁ ମୋତେ। ବାସ୍ ଦେଖିଲି ଦୁଃଖକୁ। ଭୋଗୁଛି ମୁଁ, କାହାକୁ? ଖାଲି ଦୁଃଖ। ଏ ଦୁଃଖ ରେ ମିଶିଛି କେତେ ଅସହାୟତା, ଅମାପ ନିରବତା, ସରୁ ନଥିବା ଲୁଚକାଳି ଖେଳ ଏମିତି ଅନେକ କିଛି। ଶୁଣିଥିଲି, ହୀରାକୁଦ ବନ୍ଧ ହଁ ମ ସେଇ ମୁଁ ଛୁଇଁ ନଥିବା ମହାନଦୀ ର ଛାତି ଉପରେ ଯିଏ ଗଢ଼ିଛି ଗୋଟେ ବିଶାଳ ଦେହ, ସିଏ କୁଆଡ଼େ ସାଥିରେ ନେଇ ଆସିଥିଲା ଶତାବ୍ଦୀର ସବୁଠୁ ବଡ଼ ବିସ୍ଥାପନ। ପାଦ ହଜେଇ ଦେଲା ଠିକଣା, ଆଖି କୁ ଜାଲୁଜାଲୁ ଦିଶିଲା ବାଟ, ଏମିତି କେତେ କଥା, ସେ କଥା ପଛର ଅକୁହା ବ୍ୟଥା; ଧିରେଧିରେ ସେସବୁ ପ୍ରଥା ବି ହେଇଗଲାଣି। ମୁଁ ଜାଣେ ବିଷୟ ଭିତରେ ନାହିଁ ମୁଁ, ହଁ ଦୁଃଖ କାହା ଜୀବନର ବିଷୟ ଭିତରେ ଥାଏ କି? ଦୂର୍ଗାପୂଜା ବେଳ, ମାମୁଁ ଘର ଗାଁ ରେ ଭଲ ଜାକଜମକ ହୁଏ। ଅଜା କବିରାଜ ବୋଲି ଯେତକ ଲୋକ ଜାଣି ନାହାଁନ୍ତି ପାରମ୍ପରିକ ଶାସ୍ତ୍ରୀୟ ସଙ୍ଗୀତ ର ଗୋଟେ ଅଦ୍ଭୂତ ଆକର୍ଷଣ ବୋଲି ସମସ୍ତେ ଜାଣନ୍ତି। ମୁଁ ବି ଜାଣେ, ମୋ ଅଜା ପରା। ଆମର ଭଲ ପଡ଼େ କଥା ସବୁ ଯେମିତି ଓଠ ପାଖେ ଇଲାଜ ପାଇଁ ଧାଡ଼ି ବାନ୍ଧନ୍ତି। କିସ ଗୁଟେ କଥା ପଡ଼ିତେ ପଡ଼ିତେ ଅଜା କହିଦେଲେ "ଦଶରା' ପାଖରୁ ପଶରା ମେଲେଇ ଆସଇ ଶୀତ, ଫେରିବା ବେଳ ହୋଇଲା ମା ଗୋ କୃପା ଥିଲେ ଆରଥର କୁ ଦେଖିବି ତୋ ଯାତ" ଏଇ ଶେଷଧାଡ଼ି ଟା ମୁଁ ଯୋଡ଼ିଛି, ସେଇଠି ସେତେବେଳେ। ପସନ୍ଦ ଆସି ନଥିବ, କିନ୍ତୁ କଥା ତ ଏତିକି ଥିଲା। ତା' ପରେ ମୁଁ ଦେଖିଲି କ'ଣ ଗୋଟେ ହେଇଗଲା , ହବାର ନଥିଲା? ମୁଁ ଜାଣିନି ଆଉ ଜାଣିବାକୁ ଚାହିଁନି। କଉଠି? ଅନୁଭବ ରେ ବୋଧହୁଏ ଗୋଟେ ଦୁର୍ଘଟଣା। ଶବ୍ଦ ହେଲାନି? ହେଇଥିବ ନିଶ୍ଚୟ! ଶବ୍ଦ ସୃଷ୍ଟି ହେଲା।