Nojoto: Largest Storytelling Platform

ସଂଘର୍ଷ ଥକିବା ପାଇଁ ଏଠି ବେଳ କାହିଁ ଆଖି ଦୁଇଟି ଜଳ ଜଳ

ସଂଘର୍ଷ 
ଥକିବା ପାଇଁ ଏଠି ବେଳ କାହିଁ 
ଆଖି ଦୁଇଟି ଜଳ ଜଳ ହୋଇ ରହିଛି ଅନାଇଁ 
ତମାମ ଆୟୁଷ କେବଳ ଏଠି ମୁଠାଏ ପାଉଁଶ
ଛଳ ଛଳ ଲୁହ ମହଣ ମହଣ କୋହ
ପରସି ଦେଇଛି ସମସ୍ତ ଜୀବନକୁ 
ଚାଖଣ୍ଡେ ସ୍ବପ୍ନର ଇପ୍ସିତ ଇଲାକା ପାଇଁ ।।

ଧାର ଧାର ହୋଇ ବାରମ୍ୱାର 
କେତେ ଯେ ଶୋଭାଯାତ୍ରାରେ ବୋହି 
ତୁହାକୁ ତୁହା ଦଦରା ପୁସ୍ତକରେ ମଲାଟ ଲଗାଇ
ରଙ୍ଗିନ କରିଛି ଖାଲି ନିଇତି ସଞ୍ଜ ସକାଳକୁ 
ଥୁଆ ହୋଇଛି ସେ ପୁସ୍ତକ ଅମାରରେ
ଅପେକ୍ଷା କରିଛି ରଦିରେ ବିକ୍ରି ହେବା ପାଇଁ।।

ବେଳ ହେଲାଣି ଉଚ୍ଛର ଯିବାକୁ ଅଛି ଦୂର 
ତର ତର ଏଠି ମାୟା ମୋହର ସଂସାର 
ବେଳ ଅବେଳ ନିମିଷେ ଶେଷ ହୁଏ ଜୀବନ ଖେଳ
ଉଦରେ ହୃଦୟରେ ଜଳୁଛି ଅଗ୍ନି 
ଭଗ୍ନାଂଶକୁ ଜାବୁଡ଼ି ଧରି ଉତ୍ତର ପାଇବା ପାଇଁ ।।

ସଂସାର ଓ ସଂଘର୍ଷର କେବଳ ଏତିକି ସାରାଂଶ
ଖଣ୍ଡ ଖଣ୍ଡ ହୋଇ ଚିନ୍ତନ ପାଇଁ ନଥାଏ ଅବକାଶ 
ଲଲାଟେ ଲାଗିଛି କଳଙ୍କ ନା ବିଜୟ ତିଲକ
ଏ ପ୍ରଶ୍ନର ଉତ୍ତର ଖୋଜିବା ନୁହଁ ସହଜ 
ଉପଶମ କେବଳ ଏତିକି
ସହିବ ଜୀବନ ଯନ୍ତ୍ରଣା ଯେତିକି 
ଆକାରରୁ ନିରାକାରଙ୍କ ସହ ମିଶ୍ରଣ ପାଇଁ।।

©Tafizul Sambalpuri
  #ଓଡ଼ିଆକବିତା

#ଓଡ଼ିଆକବିତା

292 Views