ସ୍ମୃତି ଅଭୁଲା ଅତୀତର ଆମେ ଛୋଟ ଛୋଟ ହେଇଥିଲୁ । ପ୍ରତିଦିନ ସନ୍ଧ୍ୟା ସମୟରେ ଆମ ଅଜାଙ୍କ ଗପର ପେଡି ଖୋଲେ ଆମ ବାଡ଼ି ପଟ ମାଟି ବେଦୀ ଉପରେ । ଦଉଡି଼ଆ ଖଟ ଉପରେ ବସି ଅଜା ଆମର କହିଚାଲିଥାନ୍ତି କେତେ କେତେ ସତ ଗପ ଆଉ ଅଗଣିତ ମନଗଢା କାଳ୍ପନିକ କାହାଣୀ ।ଆମେ ସବୁ ତାଙ୍କ ଚାରିପଟେ ଚାହିଁବସିଥାଉ ଚାତକ ପକ୍ଷୀ ପରି । କେତେ ଭୂତ ପ୍ରେତର ଗପ ସବୁ କହୁଥିଲେ ଆମ ଅଜା ,ଆଉ ସେ ଗପ ଶୁଣି ଆମ ଲୋମ ଟାଙ୍କୁରି ଉଠୁଥିଲା ।ଭୟରେ ଆମେ ଆଉ ଟିକିଏ ଅଜାଙ୍କ ପାଖକୁ ଜାକି ହେଇଯାଉଥିଲୁ ।ଅଜା ବଢ଼େଇ ଦେଉଥିଲେ ତାଙ୍କ ପ୍ରଶସ୍ତ ବାହୁ । ଆମେ ପାଇଯାଉଥିଲୁ ଏକ ନିର୍ଭରଯୋଗ୍ୟ ଅଭୟ ଆଶ୍ରା । ତାଙ୍କ ବାହୁ ଛାୟା ତଳେ ଆମେ ନିଜକୁ ସବୁଠାରୁ ବଳବାନ୍ ମନେକରୁଥିଲୁ। କାହାଣୀ ଲମ୍ବିଚାଲୁଥିଲା ଆମ ଆଖି ପତା ନଇଁ ଯିବା ପର୍ଯ୍ୟନ୍ତ । ଶେଷରେ ଆମେ ଶୋଇବା ପୂର୍ବରୁ, ଅଜା ତାଙ୍କ ଆଶାବାଡିରେ ଆମ ଚାରିପଟେ ଟାଣିଦେଉଥିଲେ ତିନୋଟି ଲକ୍ଷ୍ମଣ ରେଖା । ଆଉ ଆମ ସମସ୍ତଙ୍କର ଗଭୀର ବିଶ୍ୱାସ ଥାଏ ସେଇ ତିନିରେଖା ଉପରେ । ଆମ ପାଇଁ ସେଇ ତିନି ରେଖା ଥିଲା ସବୁଠାରୁ ମଜବୁତ ନିର୍ଭରଯୋଗ୍ୟ ସୁରକ୍ଷା ପ୍ରାଚୀର ।ଆମ ଆଖି ଆନନ୍ଦ ରେ ପୁରି ଉଠୁଥିଲା । ଆମେ ସେଇ ଛୋଟ ବେଳେ କେତେ ଗଭୀର ବିଶ୍ୱାସ କରୁଥିଲୁ ଆମ ବଡ଼ ମାନଙ୍କୁ । ହେଲେ ଆମେ ଯେତେବେଳେ ବଡ଼ ହେଇଯାଉଛେ ,ଧୀରେ ଧୀରେ ଆମ ନିଜ ବଳ ଆଉ ବୁଦ୍ଧି ବିକଶିତ ହେଇଯାଉଛି ଆମେ ସେତେ ଅସୁରକ୍ଷିତ ହେଇଯାଉଛେ । ସେଇ ଛୋଟ ବେଳର ପ୍ରଶାନ୍ତିର ନିଦ ଆମ ଆଖିରୁ ବିସ୍ମୃତ ହେଇଯାଉଛି । ସତରେ ପୁଣି ଥରେ ଫେରିଆସନ୍ତା କି ଆମର ସେଇ ପୁରୁଣା ଦିନ ଗୁଡିକ । 🙏🙏🙏🙏🙏🙏🙏🙏🙏💐💐💐💐💐💐💐💐 ©PRANAY KUMAR SAHU #memorylane #Night